Commit 08a200ec authored by Nayan Ranjan Paul's avatar Nayan Ranjan Paul

Upload New File

parent ae947129
ମୃତ୍ୟୁଲଗ୍ନ
- କାଶୀନାଥ ନନ୍ଦୀ
ତା: ମେ ୨୫, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ଶ୍ୟାମଳୀର ଦୁଃଖସୁଖର ଜୀବନ ଲାଗିଥାଏ ।
ଯେତିକି ବର୍ଷା ବତୁରାଇ ଦେଉଥାଏ, ସେତିକିକୁ ଖରା ଶୁଖାଇ ଦେଉଥାଏ ।
ଭଲ ଲାଗୁଥାଏ ଜୀବନ ।
ସବୁବେଳେ ତା’ସହ ଜଡ଼ିତ ଥାଏ ଶ୍ବେତାମ୍ବର ।
ଜୀବନରେ ଏତେ ଖୁସି ଥାଏ ଯାହାର ମାପି ହେଉ ନଥାଏ ଦୂରତା, ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଓଜନ ।
ସୁଖଭରା ଜୀବନରେ ଫୁଲ୍ଫୁଲିଆ ଦୁଃଖ ବି ରହୁଥାଏ ।
ଏମିତି ଜୀବନର ପରମାୟୁ ଥାଏ ମାତ୍ର ଦି’ ବର୍ଷ ।
ବିବାହର ଦି’ଟା ବର୍ଷ ପରେ ଜୀବନକୁ ଆସ୍ତେଆସ୍ତେ ଘେରିଆସେ ଅସନ୍ତୋଷ, ଦୁଃଖ, ସନ୍ତାପ, ଜ୍ବାଳା, ଅପମାନ ଓ ଲାଞ୍ଛନା ।
ଶ୍ୟାମଳୀ ସହୁଥାଏ ।
ସହିପାରୁଥାଏ ବୋଲି ତା’ ମୁହଁ ଉପରେ ହିଁ ଶ୍ବେତାମ୍ବର ବହୁତ କିଛି କରିଚାଲିଥାଏ ।
ଦେଖେଇ ଦେଖେଇ କରୁଥାଏ ପାପ ।
ଯେତେ ଯେତେ କୁକର୍ମ କରିଚାଲିଥାଏ, ଶ୍ୟାମଳୀ ପ୍ରତିବାଦ କରୁ ନଥାଏ ।
ଶ୍ବେତାମ୍ବରର ସବୁ କୁକର୍ମ ତା’ ମନ-ବନରେ ବୁଲୁଥାଏ ।
ସେ କାନ୍ଦୁଥାଏ ।
ଆଖି ଲୁହ ଆଖିରେ ମାରୁଥାଏ ।
ଶେଷକୁ ଆଉ ସହି ହେଲାନାହିଁ ଜୀବନ ।
ସବୁ ସହିବା ଦିନଠୁ ସରିଗଲା ଯେଉଁଦିନ ଶ୍ବେତାମ୍ବର ଚରିତ୍ରହୀନାର ଦୋଷ ଲେଖିଲା ଶ୍ୟାମଳୀର କପାଳରେ ।
ନାରୀ ପେଟକଷ୍ଟ ସହିଯାଏ, ଦେହକଷ୍ଟ ସହିଯାଏ, ମନର କଷ୍ଟକୁ ବି ସହିଯାଏ; ତେବେ ତା’ ଚରିତ୍ରକୁ ଛିଡ଼େଇଦେଲେ ଫୁଲ ପରି ସେ ଶୁଖିଯାଏ ଓ ମରିଯାଏ ।
ସେ ଆଉ କେତେ ସହନ୍ତା ? ଆଉ ହେଲାନାହିଁ ।
ତା’ ଜୀବନ ତାକୁ ଧିକ୍ ଲାଗିଲା ।
ଜୀବନ ହାରିଦେବାକୁ ସ୍ଥିର ନିଶ୍ଚିତ କଲା ।
ସେ ଭାବିନେଲା ତା’ ମୃତ୍ୟୁ ହିଁ ସବୁର ସମାଧନ ।
ତେବେ ତା’ ମୃତ୍ୟୁଲଗ୍ନ ଫିଟୁ ନଥିଲା ।
ଶ୍ବେତାମ୍ବର ଆଜି ଗୋଇଠା ମାରିଲା ଶ୍ୟାମଳୀର ମରମକୁ ।
ଯେଉଁଠୁ ଆରମ୍ଭ ଜୀବନ, ସେଇଠି ଥିଲା ସେ ପ୍ରହାର ।
ସବୁ ଭାଙ୍ଗିଗଲା ।
ଏଥର ଶ୍ୟାମଳୀ ନିର୍ଦ୍ଦିଷ୍ଟ ହେଇଗଲା ମୃତ୍ୟୁ ନିକଟରେ ।
ମୃତ୍ୟୁଲଗ୍ନ ଫିଟିଗଲା ।
ସେ ମରଣମୁଖୀ ହେଲା ।
କୌଣସି ଏକ ନିକାଞ୍ଚନ ସ୍ଥାନ, ନୀରବ ମୁହୂର୍ତ୍ତ ଓ କିଛି ଅନ୍ଧାର ତା’ସନ୍ଧାନରେ ଥିଲା ।
ଶ୍ୟାମଳୀ ଚାଲିଥିଲା ।
ବାଟ ଲମ୍ବଥିଲା ।
ଅନ୍ଧାର ତଥାପି ଆସିବାକୁ ବାକି ଥିଲା ।
କନ୍ଦରକେଲାରୁ ବାଟଟା ବୁଦୁବୁଦିଆ ଜଙ୍ଗଲ ଦେଇ ଲମ୍ବି ଯାଇଥିଲା ।
ସେ ଚାଲିଚାଲି ଯାଉଛି, ମନର ସବୁ ଅବସୋସ୍ ତାକୁ ଖାଇ ଖାଇ ଯାଉଛି ।
ସେ ମନରେ ମରିମରି ଯାଉଛି ।
ଏତିକିବେଳେ ଟାଟା ସୁମୋଟେ ତା’ ପାଖରେ ବ୍ରେକ୍ ଦେଲା ।
ଛ’ଜଣ ଓହ୍ଲେଇପଡ଼ିଲେ ଧଡ଼ଧାଡ଼ ।
ତାକୁ ଘେରିଗଲେ ।
ସେମାନଙ୍କୁ ଦେଖି ଶ୍ୟାମଳୀର ମୃତ୍ୟୁମନସ୍ଥ ମନରେ ହଠାତ୍ କିଛି ପଶୁ ନଥିଲା ।
ସେ ସେମାନଙ୍କୁ କେବଳ ଚାହିଁଥିଲା, ଟିକିଏ ମାତ୍ର ସମୟ ।
ତା’ପରେ ସ୍ପଷ୍ଟ ହେଇଗଲା ।
ସେ ସେମାନଙ୍କ ମୁହଁରେ ଦେଖିଲା ଦୁଷ୍ଟ ଲୋଭ ।
ଯାହା ଟହଟହ ଦିଶୁଥିଲା ।
ତା’ ମନ ଭାଙ୍ଗିଯିବାକୁ ବେଳ ନେଇ ନଥିଲା ।
ତା’ ବିଭକ୍ତ ମନ ଏଥର ବୁଝିବାକୁ ଲାଗିଲା ଲୋକଗୁଡ଼ାଙ୍କ ଉଦ୍ଦେଶ୍ୟ ।
ଆଖିଗୁଡ଼ା ଯେମିତି ତାକୁ ଖାଇ ଯାଉଥିଲା ।
ସେମାନେ ଶ୍ୟାମଳୀକୁ ଧରିପକାଇଲେ ।
ପଣ୍ୟ ପରି ଗାଡ଼ିକୁ ଉଠାଇନେଲେ ।
ମୃତ୍ୟୁର ବସାଘର ଭାଙ୍ଗିଯାଇଥିଲା ।
ଶ୍ୟାମଳୀର ମନ ଓହ୍ଲାଇ ଯାଇଥିଲା ନର୍ଦ୍ଦମାକୁ ।
ଯେଉଁଠି ପୋକ ପରି ତା’ ଜୀବନ ଲହଲହ ହେଉଥିଲା ।
ଢେର ଦୂରଯାଏ ସେ ଯାତ୍ରା ଥିଲା ।
ସେମାନେ ବ୍ରେକ୍ କରି ଗାଡ଼ି, ଠିଆକଲେ ।
ଏଣେ ତେଣେ ଅନେଇଲେ ।
କୁହାକୁହି ହେଲେ-ଏଇଟା ଠିକ୍ ଜାଗା ।
ଏଇଠି ଠିକ୍ ହେବ ।
ସ୍ଥାନଟା ନିର୍ଜନ ଥିଲା ।
ଯେଉଁଠି ପତିତ ମନ୍ଦିରଟିଏ ନିକାଞ୍ଚନରେ ଆଶ୍ରୟ ପରି ଠିଆ ହୋଇଥିଲା ।
ଯାହାକୁ ଆଶ୍ରୟ କରି କିଏ କିଏ ରହୁଥିବାର ଜଣାଯାଉଥିଲା ।
କାରଣ ମନ୍ଦିର ବେଢ଼ା କିଛିଟା ପରିଚ୍ଛନ୍ନ ଥିଲା ।
ସେମାନେ ଓହ୍ଲାଇଗଲେ ।
ଶ୍ୟାମଳୀକୁ ଓହ୍ଲାଇଲେ ।
ଗାଡ଼ିରେ ବାନ୍ଧିଥିବା ତା’ ଆଖି ଓ ପାଟିର ପଟି ସେମିତି ବନ୍ଧା ଥିଲା ।
ଟିକିଏ ସମୟ ସମସ୍ତେ ଠିଆ ହୋଇଗଲେ ।
ଏଣେତେଣେ ଆଉଥରେ ଅନେଇଲେ ।
ଜଣେ ଦେଖିଦେଲା ।
କହିଲା-ଶଳା ଏଠି ଗୋଟେ ବାବା ବେ ।
ଏ ଜାଗା ଠିକ୍ ନୁହେଁ ।
ଅନ୍ୟ ଆଡ଼େ ଚାଲ ।
ଆଉ ଜଣେ ପ୍ରତିବାଦ କଲା-ଶଳାଟା ଆମର ତାଡ଼ିବ ? ହୁଟ୍ ।
କଥା ଖେଳିଗଲା ।
ବାବା ଜଣକ ମୁହଁ ବୁଲାଇଲେ ଓ ଅନ୍ୟଜଣେ ମନ୍ଦିରରୁ ବାହାରି ପଡ଼ିଲେ ।
ଜଣେ କହିଲା-ଏ ଶଳାଗୁଡ଼ା ଦି’ଟା ବେ ।
ଏ ଶଳା ଦି’ଟାକୁ ହାଣିଦିଅ ।
କାମ ତମାମ କର ।
ପ୍ରତିବାଦ କଲା ଜଣେ-ଶଳା ଫାଲତୁ ବକ୍ ନା ।
ଦେଖ୍ ଶଳାର ବୁଦ୍ଧି ।
ମାଲ୍‌ରେ ଲାଲ୍‌ରଙ୍ଗ କ’ଣ ଚଳେ କି ବେ ?
ଟିକିଏ ବୟସ୍କ ହଡ଼ାବଳଦ ଭଳି ଦିଶୁଥିବା ବୁଢ଼ାଳିଆ ଟୋକାଟେ କହିଲା- ଶଳାଗୁଡ଼ାଙ୍କୁ ଯାଇ ଭୁଜାଲି ଦେଖା ।
ସେମିତି ହେଲା ।
ଏଠୁ ଝପଟିଗଲେ ଦି’ଜଣ ।
କାବୁ କରିଦେଲେ ବାବା ଦି’ଜଣଙ୍କୁ ।
କଥା ଛିଡ଼ିଲା-ପାଳିକରି ଜଗ, ପାଳିକରି ଆସ ।
ସେମିତି ହେଲା ।
ନୀରବ ମାଂସ କଣ୍ଢେଇ ହେଇ ହାତରେ ଝୁଲୁଥିବା ଶ୍ୟାମଳୀକୁ ତଳେ ଥୁଆହେଲା ।
ତା’ ନୀରବତା ଉପରେ କୁକଥା କୁହାଗଲା ।
ବେଶ୍ୟାର ଆରୋପ ଦିଆଗଲା ଓ ବିବସନା କରାଗଲା ।
ଟିକିଏ ବି ପ୍ରତିରୋଧ କରୁ ନଥିଲା ଶ୍ୟାମଳୀ ।
ତା’ପରେ ପୁରୁଷ ପରେ ପୁରୁଷ ।
ଗୋଟିଏ ପୁରୁଷର ପୁରୁଷାକାର ଗୁଡ଼ାଏ ଆବର୍ଜନାରେ ପରିଣତ ହେଇଯିବାକୁ ଯେତିକି ସମୟ ଗଲା, ସେତିକି ବା ତା’ଠୁ କମ୍ ସମୟ ବ୍ୟବଧାନରେ ଜଣେ ପରେ ଜଣେ ପୁରୁଷ ଆବର୍ଜନା ପାଲଟୁଥିଲେ ।
ଶ୍ୟାମଳୀ ପ୍ରତିଥର ଛେପ ଫିଙ୍ଗୁଥିଲା ମାଟିକୁ ।
ଏମିତି ଫିଙ୍ଗୁଥିଲା ଯେମିତି ସେ ଛେପ ଫିଙ୍ଗୁଥିଲା ସେମାନଙ୍କ ମୁହଁକୁ ।
କିଛି ସମୟ ଏକୁଟିଆ ରହିଲା ଶ୍ୟାମଳୀ ।
ଭାବିଲା ସବୁଗୁଡ଼ା ମରିଗଲେ ବୋଧହୁଏ ।
ଶ୍ୟାମଳୀ ଉପରେ ଗଡ଼ି ଗଡ଼ି ଚାଲିଯାଇଥିଲା ସମୟ ।
ଗୋଟାଏ ପୁରୁଷଠାରୁ ବଞ୍ଚିବା ପାଇଁ ସେ ଚାହିଁଥିଲା ମୃତ୍ୟୁ ।
ଏବେ ତା’ ସାମ୍ନାରେ ଅନେକ ପୁରୁଷ ।
ପୁରୁଷର ହାଇ ତା’ଉପରେ ମାଡ଼ିଗଲା ।
ସେ ଘୃଣାରେ ଅପମାନରେ ଛିଞ୍ଚାଡ଼ି ଦେଲା ତା’ ମନକୁ ।
ସେ ଧଡ୍କି ଉଠିଲା ।
ବିହ୍ବଳ ପୁରୁଷଗୁଡ଼ା ପ୍ରସ୍ତୁତ ହେଇଥିଲେ ଚାଲିଯିବାକୁ ।
ଶ୍ୟାମଳୀ ସେମାନଙ୍କୁ ଚାହିଁଲା ।
ସବୁରି ମୁହଁରେ ବିଜୟ ଭେରୀ ।
ଆଖିରେ ପୁରୁଷର ମିଛ ଗୌରବ ।
ସେ ସହିପାରିଲା ନାହିଁ ।
ତା’ ଆଖି ମାଡ଼ିଧରିଲା ପୁରୁଷଗୁଡ଼ାଙ୍କୁ ।
ଯେପରି ପୁରୁଷର ବଳ ମାଡ଼ିବସେ ନିରୀହଙ୍କୁ ।
ଏଥର ଠିଆହେଲା ଶ୍ୟାମଳୀ ।
ତା’ ଉଲଗ୍ନ ଦେହକୁ ଆଖି କଲେ ବିଜୟୀ ପୁରୁଷଗଣ ।
ସେ ମୁକ୍ତହେଇ ସାରିଥିଲା ନିଜ ଭିତରେ ।
ପଡ଼ିଥିବା ଭୁଜାଲିଟାକୁ ସେ ଉଠେଇ ଧରିଲା ।
ସେମାନେ ଦେଖୁଥିଲେ ଏ ଦୃଶ୍ୟ ।
ହସି ଉଡ଼େଇଦେଲେ ଏ ଦୃଶ୍ୟକୁ ।
ନିସ୍ତେଜ ପରି ପଡ଼ିରହିଥିବା ଦେହକୁ ବିଦାରିଥିବା ପୁରୁଷଗୁଡ଼ା କାହିଁକି ବା ଭୟ କରନ୍ତେ ତା’ର ଏ ରୂପକୁ ? ସମସ୍ତେ ଭୋଗ କରୁଥିଲେ ଦୃଶ୍ୟ ।
ଶ୍ୟାମଳୀ ଏଥର ଆଗେଇଗଲା ତିନି ପାଦ ।
ପିନ୍ଧିବାକୁ ଆରମ୍ଭ କରିଥିବା ଜଣେ ପୁରୁଷର ଚୁଟି ଧରିନେଲା ।
ହାଣିଲା ଚୋଟେ ।
ଦି’ଗଡ଼ ହେଇଗଲା ଗୋଟେ ଲଙ୍ଗଳା ଦେହ ।
ରକ୍ତ ପିଚିକି ପଡ଼ିଲା ।
ଯେଉଁ ରଙ୍ଗ ରଙ୍ଗେଇଦେଲା ଶ୍ୟାମଳୀର ମୁହଁ ଓ ଦେହ ।
ତା’ ରକ୍ତମୁହାଁ ଆଖି, ତା’ ରକ୍ତଓଦା ମୁହଁ ଖୁବ୍ ଭୟଙ୍କର ଦିଶୁଥିଲା ।
ଭୟରେ କାତର ଅନ୍ୟ ପୁରୁଷମାନେ ଦୌଡ଼ିବାକୁ ଲାଗିଲେ ।
ଏଥର ଶ୍ୟାମଳୀ ଆଖି ବାବାଙ୍କ ଉପରେ ।
ଯେଉଁ ଆଖିରୁ ନିଆଁ ବର୍ଷୁଥିଲା, ସେଇ ଆଖିରେ ବାବାମାନେ ପଡ଼ିଗଲେ, ଜଳିଗଲେ, ଭସ୍ମିଭୂତ ହୋଇଗଲେ ।
ତଥାପି ଅନ୍ଧାର ଆସି ନଥିଲା ।
ଅନ୍ଧାର ଯାଏଁ ବ୍ୟାପିରହିଥିବା ସମୟ ଉପରେ ଧୀର ପବନ ବହୁଥିଲା ।
ଶ୍ୟାମଳୀର ମୃତ୍ୟୁଲଗ୍ନ ଫିଟି ନଥିଲା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment