Commit b6d035ab authored by Nayan Ranjan Paul's avatar Nayan Ranjan Paul

Upload New File

parent d64a50da
ବୁଢ଼ା ବୟସ
ଦୁର୍ଗା ପଟ୍ଟନାୟକ, ଭୁବନେଶ୍ବର
ତା: ଫେବୃଆରୀ ୨, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
କଲିଂବେଲ୍‌ରେ ହାତ ଦେବାବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା ।
ଆଖିବୁଜା ପାହାର ପାହାର ମାଡ ବସୁଛି ।
କୁନା ଚିତ୍କାର କରୁଛି ଜୀବନ ବିକଳରେ ।
ବାପାଙ୍କର ଗୋଟେ ଅଙ୍ଗ ଅଚଳ ଓ ସେ ଶ୍ବାସ ବେମାରୀ ।
ମୁନା ବୋଧେ ବାହାରେ ଖେଳୁଛି ।
ତା ହେଲେ କିଏ.. ?
ସୁଜାତା ଏମିତି ପିଟିଚାଲିଛନ୍ତି ପିଲାଟିକୁ !
କ’ଣ ଏମିତି ଦୋଷ କଲା ସିଏ !
ଏଇଟା କ’ଣ ଶାସନ ?
ଏମିତି ଆକଟ କରାଯାଏ ପିଲାଙ୍କୁ ?
ରମେଶ ବାବୁ ଅଣନିଃଶ୍ବାସୀ ହୋଇପଡୁଥିଲେ ।
କିଛି ସମୟ ପରେ କୁନା କାନ୍ଦିକାନ୍ଦି କବାଟ ଖୋଲିଲା ।
ସୁଜାତା ବେତଟାକୁ ହାତରେ ଧରି ସର୍କସର ରିଙ୍ଗ ମାଷ୍ଟର ପରି ଗର୍ଜିଚାଲିଛନ୍ତି ଘର ଭିତରେ ।
ବୁଢାବାପା ନୀରବରେ ବସି ଶୁଣୁଛନ୍ତି ।
ରମେଶବାବୁ ପଚାରିଲେ, ବାପା ! କ’ଣ ହେଇଛି ତାର ।
ସିଏ କାହିଁକି ପିଲାଟାକୁ ଏମିତି ବାଡ଼ୋଉଛି ।
ବୁଢାଙ୍କ ପାଟିରୁ ଭାଷା ସ୍ଫୁରୁ ନାହିଁ ।
କହିଲେ ମଲା ନ କହିଲେ ମଲା ଅବସ୍ଥା ।
ବୁଢା ଶଙ୍କାଶଙ୍କା ଗଳାରେ କହିଲେ, କ’ଣ ହେଇଚି କେଜାଣିରେ ପୁଅ ।
ମୁଁ କୁନାକୁ କହିଲି, ଯା’ ମାକୁ କହିବୁ- ଜେଜକୁ ଚା’ ଟିକେ ଦବ ।
ତା’ ପରଠୁ ତ ଏମିତି ଲାଗିଛି ।
ସେଇଠୁ ରମେଶବାବୁ ଗର୍ଜିଉଠିଲେ ।
ଆହେ… କ’ଣ ହେଇଛି ? ପିଲାଟାକୁ ଏମିତି ପିଟୁଛ କ’ଣ ପାଇଁ ? ସୁଜାତା ଅଣ୍ଟା ଭିଡି ବାହାରିଆସିଲେ ।
ପିଟିବି ନାହିଁ ! କେତେ କେ.ଜି. ଚିନି ଆଣି ମାସକୁ ଥୋଇଦଉଚ କି ? ବୁଢାକୁ ମୁଁ ଦଶଥର ଚା’ ଦେଇପାରିବିନି ।
ଚା’ ପାନ, ଅଫିମ ଏସବୁ ବାଜେ ଅଭ୍ୟାସ ।
ମୁଁ ମୋ ବାପା ଦିହକେ ଜାଣିନି ।
ତମ ବାପାଙ୍କର ଯଦି ଏ ସବୁ ଲୋଡା ତେବେ ସିଏ ଗାଁ କୁ ଚାଲିଯାଆନ୍ତୁ ।
ସେଇଠି ସାନବୋହୂ କି ମଝିଆବୋହୂ ସବୁ ଯୋଗାଡ କରି ଥୋଇଦେବେ ।
ମୋ ଦେଇ ହବନି ଏ ସବୁ, କହିଦେଉଛି.. ।
ରମେଶବାବୁ ସୁଜାତାଙ୍କ ହାତ ଧରିବାର ଆଜକୁ ପନ୍ଦର ବର୍ଷ ହୋଇଗଲାଣି ।
ସବୁବେଳେ ସୁଜାତାର ଏମିତି ଟାଇଁଟାଇଁ କଥା ।
ଦେହସୁହା ହୋଇଗଲାଣି ତାଙ୍କର ।
ସୁଜାତାକୁ ଭଲମନ୍ଦ କହି କିଛି ଲାଭ ନାହିଁ ।
ପିଲାଗୁଡାକୁ ମଣିଷ କରିଦେଲେ ହୁଏତ ଜୀବନରେ ଅଳ୍ପ ସମୟ ଲାଗି ମଧ୍ୟ କିଛି ଶାନ୍ତି ମିଳିପାରିବ ।
ରମେଶବାବୁ ବ୍ୟାଙ୍କରେ ଜଣେ ଉଚ୍ଚପଦସ୍ଥ ଅଫିସର ।
ଅଫିସ କାମ ବାଦ ତାଙ୍କର ଏତିକି ହିଁ କାମନା ।
ରମେଶବାବୁ କୁନାକୁ ପଚାରିଲେ, ବାପାରେ ତୁ କ’ଣ ଦୋଷ କରିଛୁ ସତ କହିଲୁ ?
କୁନା କହିଲା – ନାଇଁ ବାପା, ମୁଁ ଜେଜେଙ୍କ ପାଇଁ ମା’କୁ ଚା’ ମାଗିଲି ।
ସେ ନ ଦେବାରୁ ମୁଁ ନିଜେ ପାଣିରେ ଅମୁଲ ମିଶାଇଲି ।
ମା’ ମତେ ମାଡ ଦେଲା ।
କୁନା କୋହ ଉଠାଉଥାଏ ।
ରମେଶବାବୁ ବାପାଙ୍କୁ ଲକ୍ଷ୍ୟ କରି ତଳକୁ ମୁହଁ ପୋତି କହିଲେ, ବାପା ତୁମେ ନହେଲେ ଗାଁକୁ ଚାଲିଯାଅ ।
ଏଇଠି ତୁମେ ଶାନ୍ତି ପାଇପାରିବନି ।
ସୁଜାତା ରୋଷେଇ ଘରୁ ପାଟି କରୁଛନ୍ତି ।
ଓହୋ ! ବାପା ସୁହାଗ ବୋହିପଡୁଛି ।
ତମ ପୁଅକୁ ବି ପଠାଇ ଦିଅ ।
ଦରକାର ନାହିଁ ଏମିତି ପିଲା ।
ସିଏ ଗାଁରେ ରହୁ, ବାପାଙ୍କୁ ଚା’ ଦଉ ।
ପିଅନ କାମ ଶିଖୁ ।
ପାଠ ନ ପଢୁ ।
ତାକୁ ପଠାଇ ଦିଅ ।
ରମେଶ ବାବୁ ଚାବୁକ୍ ଖାଇବା ପରି ମନେ କରୁଥାନ୍ତି ।
ଖୁଣ୍ଟ ପରି ଛିଡା ହୋଇ କ’ଣ ଚିନ୍ତା କରୁଥିଲେ ।
ସେଦିନ ରାତିରେ ଆଉ ବୁଢାଙ୍କ ଆଖିକୁ ନିଦ ନାହିଁ ।
ସାରା ରାତି ସେ ଭାବୁଥିଲେ, ନିଜ ଜୀବନର ଲମ୍ବା କାହାଣୀକୁ ।
ସିଏ ପୁଅ ପାଇଁ ଗୋଟେ ସାବନା ବର୍ଣ୍ଣର ବୋହୂ ଖୋଜିଥିଲେ ।
ହେଲେ ପୁଅର ମନ ମାନିଲା ନାହିଁ ।
ବୁଢା ଜାଣୁଥିଲେ ଯେ, ଏ ସହରୀ ଛଟକି ଫେସନି ଝିଅଗୁଡାକ ସବୁ ଏମିତି ।
ଘର ଭାଙ୍ଗିବେ ଏମାନେ ।
ହଉ ତାର କପାଳ ।
ଚା’ କପେ ପାଇଁ ପରିବାରରେ ଝଡ ସୃଷ୍ଟି ହୋଇଯାଉଛି ଆଜି ! କିନ୍ତୁ ମୁଁ ମୋ ପୁଅ ପାଇଁ କ’ଣ ନ କରିଛି ।
ମୁଁ କ’ଣ ଅଫିମ ଜାଣିଶୁଣି ଖାଉଛି ।
ଶ୍ବାସ ରୋଗଟାକୁ ଛାତି ଭିତରେ ଚାପିରଖିବାକୁ ଅଫିମ ଟିକେ ଖାଇଦେଲେ ଚଳିଯାଏ ।
ଏଇଥିପାଇଁ ଏତେ କଥା ।
ପାନଟା ତ ଅନେକ ଦିନରୁ ଖାଇଆସିଛି ।
ଏବେ କ’ଣ ଛାଡିହେବ ? ତା’ ବୋଲି ମୁଁ କ’ଣ ମୋ ବୋହୂର ଘର ଉଜାଡିଦେଉଛି ।
ସର୍ବସ୍ବ ଖାଇଦେଉଛି !
ବୁଢାଙ୍କୁ ଭାରି ଅଣନିଃଶ୍ବାସୀ ଲାଗିଲା ।
ସତେ ଯେପରି ମୁଣ୍ଡ ମଧ୍ୟରେ ଏକ ଚକ୍ର ଘୂରି ମସ୍ତିଷ୍କର ସବୁ ଯୋଗାଯୋଗକୁ କାଟିପକାଉଛି ।
ଘଣ୍ଟାରେ ଦୁଇଟା ବାଜିଲା ।
ରାତି ପାହିବାକୁ ଆହୁରି ଢେର ବାକି ।
ବୁଢା ଭାବୁଥିଲେ, ସକାଳ ଆସିଲେ ବିଦାୟ ନେବି ସବୁଦିନ ପାଇଁ ଏଠାରୁ ।
ସହରୀ ଜୀବନରେ ବାସ୍ନା ନାହିଁ ।
ଭାରି ମିଛିମିଛିକା ଆଉ କୃତ୍ରିମ ଭାବ ବିନିମୟ ହୁଏ ଏଠି ।
ତାର ସେଇ ଗାଁ ମାଟି ବରଂ ଭଲ ।
ସରକାର ବାହାଦୁର ମଧ୍ୟ ଯୋଉ ଦି ବଖରା ଘର ଦେଉଛନ୍ତି ସହରୀବାବୁମାନଙ୍କୁ, ସେଗୁଡିକ ଅଫିସର ଓ ତାଙ୍କ ପିଲାଛୁଆଙ୍କୁ ନିଅଣ୍ଟ ।
ତା’ ପରି ଖୁଁ ଖୁଁ କାଶୁଥିବା ବୁଢାଗୁଡାଙ୍କ ପାଇଁ ଏ ରାଜଧାନୀରେ ସ୍ଥାନ କାହିଁ ? ବୁଢା ଆଖିପତା ମୁଦି କେତେ କ’ଣ ଭାବି ଚାଲିଛନ୍ତି ।
ତାଙ୍କ ଭାବନା ନଈର ସୁଅ କୂଳ ଅତିକ୍ରମ କରୁଥିଲାବେଳେ ସେ ଚମକି ଉଠିଲେ ।
ଆଖି ଖୋଲିଲାବେଳକୁ କୁନା ଅତି ସନ୍ତର୍ପଣେ ମା’ କୋଳରୁ ଜେଜେଙ୍କ ଶୋଇବା ଘର ଭିତରକୁ ପଳାଇଆସିଛି ।
ବୁଢା ତାକୁ ଦେଖି ଟିକେ ଡରିଗଲେ ।
କହିଲେ, କୁନା, ତୁ ଜଲଦି ପଳାଇଯା ।
ମା’ ଉଠିଲେ ଏଇନେ ରାତିଟାରେ ମାଡ ଖାଇଯିବୁ ।
କୁନା ଟିକେ ବି ଭୟ କଲାନି ।
ଓଲଟି ପଚାରିଲା, ଜେଜେ ତୁମେ ସକାଳ ହେଲେ ଗାଁକୁ ଚାଲିଯିବ ? ବୁଢା ଆଶ୍ଚର୍ଯ୍ୟରେ ବୋକା ବନିଗଲେ ।
ଉଠିବସି କୁନାକୁ କୋଳେଇଆଣିଲେ ।
ପଚାରିଲେ, ତୁ କେମିତି ଜାଣିଲୁ କିରେ ?
କୁନା କହିଲା – ଜେଜେ ମୁଁ ସ୍ବପ୍ନ ଦେଖିଲି ।
ନାଇଁ ମ ଜେଜେ, ତୁମେ ଯାଅନି ।
ତୁମେ ସବୁଦିନେ ଖେଳଛୁଟି ବେଳେ ଆମ ସ୍କୁଲ ଗେଟ୍ ପାଖକୁ ଚାଲିଆସିବ ।
ସେଇଠି ଆମେ ଆମ ଟିଫିନ ଖର୍ଚ୍ଚରୁ ତୁମକୁ କପେ ଚା’ ଦେଇଦେବୁ ।
ମୁନା ବି କହୁଛି ସେ ତା’ର ଚେନାଚୁର ଖର୍ଚ୍ଚରୁ ତୁମକୁ ଦେବ ।
ଜେଜେ ତୁମେ କୁହନା, ଆମକୁ ଛାଡି ଆଉ ଗାଁକୁ ଯିବନି ।
ବୁଢାଙ୍କର ଆଖି ଜକେଇଆସିଲା ।
କୁନାକୁ କୁଣ୍ଢାଇପକାଇ କହିଲେ, “ନାଁ ରେ ତୁ ଯା’ ଶୋଇପଡ ।
ମୁଁ ତତେ ଛାଡି କୁଆଡେ ଯିବି ଯେ ! ମୋ ସୁନାଟା ପରା ଯା’ ତୁ ଶୋଇପଡ ।
ସକାଳ ଦଶଟା ବାଜିଲା ।
କୁନା ଓ ମୁନା ସ୍କୁଲକୁ ଗଲେ ।
ରମେଶବାବୁ ଅଫିସ ଯିବା ବାଟରେ ବୁଢାଙ୍କୁ ବସ୍‌ରେ ବସାଇଦେବେ ।
ବୁଢା ବି ସାତଚଉତା ଧୋତି ଆଉ ପଞ୍ଜାବୀ ପିନ୍ଧିସାରିଲେଣି ।
ରମେଶବାବୁ ପଚାରିଲେ- ବାପା ତମେ କ’ଣ ସତରେ ଆଜି ଗାଁକୁ ଚାଲିଯିବ ? ବୁଢା ବୋହୂକୂ ଡାକି କହିଲେ, ପିଲା ବୁଦ୍ଧି ଛାଡ, ମା’ ।
ମୁଁ ଗାଁ କୁ ଯାଉଛି ।
ତୁ ପିଲାମାନଙ୍କୁ ଜମା ମାରଧର କରିବୁନି ।
ବୋହୂ ନିରୁତ୍ତର ।
ପ୍ରଣାମ ବି କଲା ନାହିଁ ।
ବୁଢା ପାଦ କାଢିଲେ ।
ଏସବୁ ଭାଗ୍ୟ ଦୋଷ କୁଆଡେ ।
କର୍ମକୁ ଆଦରି ପୁଅର ପିଛା ଧରିଲେ ।
ବୁଢା ଏକା ଏକା ନରଣଗଡ ଯିବେ ।
ଅନେକ ରାସ୍ତା ।
ବସ ଚାଲିଥାଏ ।
ବୁଢା ଖୁବ୍ ବିଷର୍ଣ୍ଣ ।
ମନେମନେ ଭାବୁଥିଲେ, ସେ ଆଜିକାଲି ଅଦରକାରୀ ହୋଇଗଲେଣି ।
ବସି ଖାଇଲେ ନଈବାଲି ସରେ ।
ତାଙ୍କୁ କିଏ କାହିଁକି ଏ ମହଙ୍ଗା ଯୁଗରେ ପଚାରିବ ।
ଭାବନାର ଅନ୍ତ ନାହିଁ ।
ଗାଡି ଆସି ଭଞ୍ଜନଗରରେ ଛିଡା ହେଲାଣି ।
ସେତେବେଳକୁ ଘଣ୍ଟାରେ ଚାରିଟା ।
ସ୍କୁଲ ପିଲାମାନେ ବହିବସ୍ତାନି ଧରି ଘରକୁ ଫେରୁଛନ୍ତି ।
ବୁଢାଙ୍କର ପୁଣି କୋହ ଉଠିଲା ।
କୁନାମୁନା ଏବେ ସ୍କୁଲରୁ ଫେରୁଥିବେ ।
ସ୍କୁଲରୁ ଫେରିବା ପରେ ଜେଜେ କବାଟ ଖୋଲିଦେଲେ କୁନା ଭିତରକୁ ଆସେ ।
ଜେଜେକୁ ସେ ଖୋଜୁଥିବ ନିଶ୍ଚୟ ।
ଜେଜେ ସେଦିନ କୁନାକୁ ପାଠ ପଢାଇଲାବେଳେ କହିଥିଲେ, ମିଛ କହିବା ମହାପାପ ।
କିନ୍ତୁ ଆଜି ଜେଜେ ମତେ ମିଛ କହି ଠକି ଚାଲିଗଲେ- ଏଇଆ ଭାବୁଥିବ ମନରେ ସିଏ ? ବୋଧହୁଏ କୁନା ଏଇଠୁ ସଂସାରଯାକର ମିଛ କହିବା ଶିଖିବ ।
କହିବ ବଡମାନେ କହନ୍ତି ଗୋଟାଏ, କରନ୍ତି ଗୋଟାଏ ।
ବୁଢାର ମୁଣ୍ଡ ଭିତରେ ସେଇ ଚକ୍ରଟା ପୁଣି ଓଲଟା ଘୂରୁଥିଲା ।
ବସ ରେଲିଂ ଦେହରେ ମୁଣ୍ଡଟାକୁ ପିଟି ଛତୁ କରିଦେବାକୁ ଇଚ୍ଛା ହେଉଥିଲା ଅବା ।
ନରଣଗଡରେ ବସ୍ ପହଞ୍ଚିଲା ।
ବୁଢା ଘରେ ପାଦ ପକାଇଲେ ।
କିଛି ହେଉ ନ ହେଉ ଏଇଠି ପଡିରହିଲେ ଜାତି ଭାଇ ତାଙ୍କର ମଡାରେ ହାତ ଲଗାଇବେ ତ ।
ନିଜକୁ ନିଜେ ସାନ୍ତ୍ବନା ଦେଉଥିଲେ ।
ମଝିଆ ପୁଅ ସୁକେଶ ଖୁବ୍ ବିରକ୍ତ ହେଲା ।
କହିଲା – ମୁଁ ମନା କରୁଛି ଯାଅନି ସେଠିକୁ ।
ହଉ, ତୁମେ ବିଶ୍ରାମ କର ।
ମୁଁ ସନ୍ଧ୍ୟାରେ ଦୋକାନରୁ ଫେରିଲେ ତୁମକୁ ଡାକ୍ତର ଦେଖାଇବି ।
ମଝିଆଁ ପୁଅ ସୁକେଶର ବହି ଦୋକାନ ।
ବିକ୍ରିବଟା ସେତେ ଭଲ ନୁହେଁ ।
ମନେମନେ ସେ ଭାବୁଛି, ପାଖ ମଦ ଦୋକାନରେ ଏତେ ଭିଡ ।
କିନ୍ତୁ ବହିକୁ କାହିଁକି ଲୋକଙ୍କର ଏତେ କମ୍ ଆଗ୍ରହ ? ସୋମରସଠାରୁ ପୁସ୍ତକର ରସ କ’ଣ ଏତେ ନୀରସ ! ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା ତାକୁ ।
ସେ ଗୋଟାଏ ସତ୍ ବ୍ୟବସାୟରେ ଅଛି ।
କିନ୍ତୁ ତାକୁ ଲକ୍ଷ୍ମୀ ମିଳୁନାହାନ୍ତି ।
ସୁକେଶ ନିରାଶ ହୋଇ ଦୋକାନର ସଟର ଟାଣିଲା ।
ଘରେ ପହଞ୍ଚିବା ବେଳକୁ ବୁଢା ଆସି ଦାଣ୍ଡଦୁଆରେ ।
କହିଲେ, ଆଜି ଏତେ ଡେରି କଲୁ ।
ବଇଦ ପାଖକୁ ଯିବା ପରା ।
ନାଇଁ ବାପା ! ଆଜି କିଛି ଭଲ ବିକ୍ରି ହେଲାନି ।
ବୁଢାର ମୁଣ୍ଡଟା ବରଗଛ ଓହଳ ପରି ତଳକୁ ଲମ୍ବିଗଲା ।
ବୁଢା କହିଲେ, “ମୁଁ ଜାଣେ ପରା ।
ତୁ ସେ ଦୋକାନରେ ମୃଗୁଣୀ ସ୍ତୁତି, ମନବୋଧ ଚଉତିଶା ଆଉ ବାଲ୍ମିକୀ ରାମାୟଣ ନ ରଖିବା ପର୍ଯ୍ୟନ୍ତ ତୋର ବିକ୍ରିବଟା ଭଲ ହେବନି ।”
ସୁକେଶ ବାପାଙ୍କ ସରଳତାର ଗଭୀର ସମୁଦ୍ରରେ ଡୁବ ମାରି ପୁଣି ଉପରକୁ ଉଠୁଥିଲା ।
ଯେଉଁଠି ଡିସ୍କୋ ନୃତ୍ୟ କଳା, ଯେଉଁଠି ସାମାଜିକ ଚଳଣୀ ଅଶ୍ଳୀଳତାରେ ଭରପୁର, ସେଠି ମୃଗୁଣୀ ସ୍ତୁତି ପଢିବ କିଏ ? ସୁକେଶ ବାପାଙ୍କୁ ବୁଝାଇ ନ ପାରି ନିଜକୁ ନିଜେ ବୁଝାଉଥିଲା ।
ବୁଢାଙ୍କ ଶ୍ବାସ ଧଇଁ ପେଲିହେଉଛି ।
ବାଉଳାଚାଉଳା ହେଲେଣି ।
ଲାଗୁଛି ସେପାରିରୁ ଡାକ ଶୁଭିଲାଣି ।
ଦେହ ଭିତରେ ଅବା ହାଡଗୁଡାକ ଖସି ବିଡା ବାନ୍ଧିହେଉଛି ।
ଦେହର କାନ୍ଥରେ ପଲସ୍ତରା ଛାଡି ଖଣ୍ଡେ ଖଣ୍ଡେ ଇଟା ଖସି ଦାନ୍ତୁରା ଦିଶିଲାଣି ।
କହିଲେ, ଭାଇକୁ ଡାକ୍ ଜଲଦି ।
ସିଏ ବ୍ୟାଙ୍କ ଅଫିସର ।
ଟଙ୍କା ପଇସା ଯଦି ଖର୍ଚ୍ଚ କରିବ କେଜାଣି କାଳେ ବଞ୍ଚିଯିବି ।
ବୁଢାଙ୍କ କଥାରୁ ମନେ ହେଉଥିଲା ତାଙ୍କର ବଞ୍ଚିବାର ମୋହ ଦୁର୍ବାର ଥିଲା ।
କିଏ ଜଣେ ଆଟାଚିଟା ତଳେ ଥୋଇବାର ଶବ୍ଦ ଶୁଣାଗଲା ।
ବୁଢା ଉପରକୁ ଚାହିଁଲାବେଳକୁ ସାମ୍ନାରେ ରମେଶ ।
ତା ପଛରେ ବୋହୂ ।
କୁନା-ମୁନା ଜେଜେ ଉପରକୁ ଚଢିଯିବା ବେଳକୁ ବୁଢାର ଧଇଁକାଶରେ ଛିଞ୍ଚାଡିହୋଇପଡିଲେ ।
ବୁଢାଙ୍କ ଶ୍ବାସ ରୋଗର ତୀବ୍ରତା ଅନୁଭବ ହେଲାଣି ।
ବୋହୂ ବୁଢାଙ୍କ ପାଦ ଛୁଇଁ ପ୍ରଣାମ କଲା ।
ବୁଢା ପୁଣି ବାଉଳାଚାଉଳା କଥା କହିଲେଣି ।
ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ଆରେ ପୁଅ ଦେଖିଲୁ ।
ବଡ ବଡ ଶିଙ୍ଗ ଅଛି ମୁଣ୍ଡରେ ।
ସେ ଲୋକଟା କାହାକୁ ଡାକୁଛି ।
ପଚାରିଲୁ କାହାକୁ ଖୋଜୁଛି ସିଏ ।
ସମସ୍ତେ ସେଇଆଡକୁ ଚାହିଁଲେ ।
ଆଖପାଖରେ କେହି ନାହିଁ ।
ବୁଢାଙ୍କର ବୋଧହୁଏ ସମୟ ପାଖେଇଗଲା ।
ଦେଖାଗଲା ବୁଢା କାଶିକାଶି ମୁଦାହେଇ ଗୋଟେ ପ୍ରଶ୍ନବାଚୀ ପାଲଟିଗଲେ ।
ମନେ ହେଲା ବୁଢା ଆମ ସମସ୍ତଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି – “ଆରେ ଅଧମ – ତୁମେ କ’ଣ କେହି ବୁଢା ହେବ ନାହିଁ ?
ତୁମେ କ’ଣ କେହି ବାର୍ଦ୍ଧକ୍ୟକୁ ସାମ୍ନା କରିବ ନାହିଁ ?
ଲୋକଗୁଡାକ ଦାନ୍ତରେ ତିରଣ ନିକୁଟି ଧରିଥିବା ଗୋହତ୍ୟାକାରୀ ଭଳି ଛିଡା ହୋଇଥିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment